କାନ୍ତ କବି - ନିବେଦିତା ମହାପାତ୍ର


ଭଦ୍ରକ ଜିଲ୍ଲାର ତାଳପଦା ଗ୍ରାମଟି

ହୋଇଲା ସେଦିନ ଧନ୍ୟ

"ବନ୍ଦେ ଉତ୍କଳ ଜନନୀ" ପାଇଲା ଯେବେ

ରାଜ୍ୟ ସଙ୍ଗୀତର ମାନ୍ୟ।

ସାହିତ୍ୟ ଆକାଶର ଉଜ୍ବଳ ଜ୍ୟୋତିଷ୍କ

କାନ୍ତକବି ଲକ୍ଷ୍ମୀକାନ୍ତ

ଦେଶାତ୍ମବୋଧକ ସଙ୍ଗୀତ ରଚି ଦେଇ

କଲେ ଚେତନା ଜାଗ୍ରତ।

ସତ୍ୟବାଦୀ ଯୁଗ ମହାରଥୀଙ୍କ ମଧ୍ୟେ

ଅନନ୍ୟ ସାଧକ ସେ ତ

ଦେଶପ୍ରେମ ବହ୍ନି ପ୍ରଜ୍ବଳିତ କରିଣ

କଲେ ସଭିଙ୍କୁ ମୋହିତ।

ଗାନ୍ଧୀ ମହାତ୍ମାଙ୍କ ଡାକରାକୁ ଶୁଣି

କରିଲେ ଅସହଯୋଗ

ପାସୋରି ଦେଇ ନିଜ ଘର ପରିବାର

ସତ୍ୟାଗ୍ରହେ ନେଲେ ଭାଗ।

ମାତୃଭୂମି, ମାତୃଭାଷା ପ୍ରତି ମମତା

ସର୍ବ ହୃଦେ ଭରିବାକୁ

ସୃଷ୍ଟି କରି ସାରସ୍ବତ କୃତି ବରିଲେ 

ଅସ୍ତ୍ର ରୂପେ କବିତାକୁ ।

କେତେ ଗଳ୍ପ, ଉପନ୍ୟାସ, ବ୍ୟଙ୍ଗ ସାହିତ୍ୟ

କବିତା,ଲଳିକା ସାଥେ

ନିଃସୃତ ହୋଇଣ ଲେଖନୀରୁ ତାଙ୍କରି

ଖ୍ୟାତି ଲଭିଲା ଜଗତେ।

ପ୍ରଳୟ ଦୁନ୍ଦୁଭି , ଉନ୍ମାଦ , ବିଜୟ ବନ

ଆର୍ଯ୍ୟ ବାହିନୀ, ଏ ଦେଶ

ସମର ସଙ୍ଗୀତ ଓ ଜାତୀୟ ପତାକା

ଶୁଣାଇ କରିଲେ ବଶ।

ଉତ୍କଳ ଜନନୀର ଶ୍ରେଷ୍ଠ ବରପୁତ୍ର

ବାଣ୍ଟିଲେ ଅପୂର୍ବ ରସ

ବିରଳ କୃତିତ୍ୱର ଅଧିକାରୀ ସାଜି

ଅରଜିଲେ କେତେ ଯଶ।

ସାହିତ୍ୟ ଜଗତରେ ଏପରି ସାଧକ

ନୋହିବେ ଆଉ କେ ଜଣେ

ଅତୁଳନୀୟ ତାଙ୍କ କୀର୍ତ୍ତି ରାଜି ସମ

ନାହିଁ କିଛି ଧରା ଧାମେ।

ଧନ୍ୟ କାନ୍ତକବି ଧନ୍ୟ ତୁମ ରଚନା

ଧନ୍ୟ ଜ୍ଞାନ ପରିସର

ଓଡ଼ିଆ ଜନତାର ସମ୍ମାନ ରକ୍ଷକ

ଘେନ ପ୍ରଣାମ ଆମର।


ନିବେଦିତା ମହାପାତ୍ର

ମୁକୁନ୍ଦ ମିଶ୍ର ନଗର, ପୁରୀ

Post a Comment

0 Comments